ଦଶପୋଇ

 

 

 

 

 

 

 

 

 

ଦଶପୋଇ

ବ୍ରଜନାଥ ବଡ଼ଜେନ

 

ପ୍ରଥମ ପୋଈ

 

ହେଲା ବସନ୍ତ ସମୟ ମୟକ ହୃଦୟ

କୁମୁଦ ଉଦୟ ପୂର୍ଣ୍ଣ ସୋମ

ପ୍ରୀତି ବଣିକ ଦମ୍ପତି ସୁରତି ସମ୍ପତ୍ତି

କଳନ୍ତରମୂଳଧନସମ ।୧।

ଲତାତରୁଏ ତରୁଣ ହୋଇଲେ ଅରୁଣ

ପତ୍ରରେ ଚିତ୍ର ଚିତ୍ରିଲା ପରି

ନାନା ସୁମନ ଫୁଟିଲେ ମରନ୍ଦ ଲୁଟିଲେ

ମିଳିନ୍ଦ ହୃଦ ଆନନ୍ଦ କରି ।୨।

ଭୃଙ୍ଗ ଝଙ୍କାର ସୁରସ ମଧୁରେ ବିରସ

ଧୃତି ସନ୍ନିପାତ ଦୂର ହେଲା ।

ତପି ତପ ନିଶାକର ପ୍ରକାଶି ପିକର

କୁହୁ ତାର ବେଶ କାହିଁଗଲା ।୩।

ଫଣି ଦଂଶନେ ମୃର୍ଚ୍ଛିତ ହୋଇଥିଲା ବାତ

ଏ ବସନ୍ତ ବିଷ ବଦ୍ୟ ବନେ ।

ପୁଷ୍ପବନ ସ୍ମିତବନ ଯୋଗେ ପାଇ ଜ୍ଞାନ

ଦୁର୍ବଳୁଁ କି ମନ୍ଦ ମନ୍ଦ ଚଳେ ।୪।

............... ...............

ମାନବତୀ ଅଭିପ୍ରୀତ କରିଥିଲେ ଏଥି

ସମୟ ପାଇଲାନାହିଁ ମନ ।୫।

ହର ଅଙ୍ଗରେ ଗଉରୀ ପରାଏ ଗଉରି

ବରନା କେ ବର ଅଙ୍ଗେ ମିଶି ।

ଅହ ଚକ୍ର ଯୁଗ ପରି ଅନୁରାଗ ପୂରି

ପୂର୍ଣ୍ଣେ କେରହିଲେ ଅହର୍ନିଶି ।୬।

ଦେଖି ପଥିକ ପଥରେ କେ ମନମଥରେ

ଦୂତି ରିତି କରି ରତି ଦେଲା

ନୂଆ ନୂଆ ବନ୍ଧ ରିତି ରତିରେ ଯୁବତୀ

ବତିଶ ଦିଗୁଣ ପୁଣ କଲା ।୭।

ଉରପରୁଁ ପୟୋଧର ଗଣ୍ଡରୁ ଅଧର

ଗଳାରୁ ଗଳା ନ କରି ଭିନ୍ନ

କଉଁ କାନ୍ତା କାନ୍ତା ତୋଷେ ଦିଗମ୍ବର ବେଶେ

କଲେ ନାନାର ରସେକେ କୋଳିମାନ ।୮।

ନବ ପଲ୍ଲବ ମଣ୍ଡିତ ରଥରେ ମନ୍ମଥ–

ରାଜ ବସି ଦିଗ ବିଜେକଲା

ସ୍ତନସୁବର୍ଣ୍ଣ ଗରିଆ ଘେନି କେ ଭୋଟିଆ

ନାଗରି ପ୍ରଧାନ ଶାଢ଼ୀ ନେଲା ।୯।

ଯହିଁ ବାଳକ ଜରତୀ- ମାନେ ରତିପତି

କଉତୁକରେ ହୋଇଲେ ବାଇ

କବି ବଜ୍ରନାଥ ବୋଲେ ୟୁବାଜନ ମଲେ

ସଂସାରେ ତାଙ୍କୁ ଶରଣ ନାହିଁ ।୧୦।

 

Image

 

ଗୀତ

ରାଗ-ଚୋଖୀ

 

କୋଟି କନ୍ଦର୍ପ ସୁନ୍ଦର ବ୍ରଜପୁର ପୂରନ୍ଦର

ଆନନ୍ଦ କନ୍ଦ ନନ୍ଦର ରସିକବର ।

ଚତୁରୀ ଚିତ୍ତ ଚକୋର ଚନ୍ଦ୍ର ଚିନ୍ତା ଚୟହର

ଏକାଳ ଚାହିଁ ଚିତ୍ତ ଯେ ଚଞ୍ଚଳତର

ଚଳିଲେ ଯେ ବୃନ୍ଦାବନକୁ

ଚାନ୍ଦନୀ ନିଶି ହରୁଛି ମନ ଧନକୁ ।୧।

 

ସାନ୍ଦ୍ରତର ଶ୍ୟାମ କୁଞ୍ଜ ଚୂର୍ଣ୍ଣତା ଚନ୍ଦ୍ରି କାପୁଞ୍ଜ

ପଡ଼ିବାରେ ବଡ଼ ରଞ୍ଜନୀୟ ହୋଇଛି

କାମ କେଳି ପୁରେ ରତି- ରଣେ ରତ କଣ୍ଠ ମୋତି–

ମାଳା ଛିଡ଼ି ଗୋଟି ଗୋଟି ପଡ଼ିଯାଇଛି

ପାରିକଳା କେତକି ଶେଯ

ଜାତି ଦଳ ସିଞ୍ଚିଛିକି ମନୋଜରାଜ ।୨।

 

ଦ୍ୱିତୀୟ ପୋଈ

 

ସେହି ଦିବସେ ସଜନୀ ସଙ୍ଗତେ ରଜନୀ-

କରମୁଖୀ ରାଧା ବହି ଯୋଗେ

ଯମୁନାରୁ ଘେନି ନୀର ଆସନ୍ତେ ସେ ଧୀର-

ଗତି ପଡ଼ିଥିଲେ କୃଷ୍ଣ ଆଗେ ।୧।

ସେତ ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ

ଘଟନ ଧୃତି ଲୁଠନ ଛବି

ତାଙ୍କୁ ନୋହିଲା ମୁରୁଛି ନ ରୁଚିଲା କିଛି

ଶୋଭାବତୀ ଶୋଭା ଭାବି ଭାବି ।୨।

ଲୀଳା ଲାଳସୀ ଲାବଣ୍ୟ ଶୋଭାବତୀ ବନ

ମଧ୍ୟେ ପଡ଼ିଲା ନୟନ ମୀନ

ମହା ଚତୁରୀ ସେ ଏକେ କୁଚ ସମ୍ପୁଟକେ

ଭରି ହରି ନେଲା ହରି ମନ ।୩।

ଏଣୁ କିଛି ନ ଦିଶିଲା ଅନ୍ଧାର ଦିଶିଲା

ଶର ବରଷିଲା ଫଲଧନୁ

ଭେଦି ମରମ ଭିତରେ କାଟନ୍ତେ ଆତୁର

କାତରତର ତରଳ ତନୁ ।୪।

କଳକଣ୍ଠ କଳ କଳ କଳନା ବିକଳ

ସକଳ ମତେ ବିକଳ କଲା

ନିଶାନାୟକ କିରଣ ନାଗନ୍ତେ କିରଣ

ତନୁ ତାପ ପରି ତାପ ଦେଲା ।୫।

ସେହି ସେହି ମନ୍ଦହାସ ସରସ ପୀୟୁଷ-

ପୂର୍ଣ୍ଣ ଦନ୍ତ ବାସ ଦନ୍ତ ଭଡ଼ା

ରଙ୍ଗତରଙ୍ଗ ଅପାଙ୍ଗ ଭଙ୍ଗି ଯୋଗଭଙ୍ଗ

ଈଷିତେ ଅନଙ୍ଗ ଘରବୁଡ଼ା ।୬।

ନାସା ଫୁଲାଇବା ରୀତି ଭାଷା ଗତାଗତି

ବନ୍ତ୍ରଭାବେ ଶନ୍ତ୍ର ପଦ ଦେବା

ଏଣୀ ଈକ୍ଷଣୀ ଈକ୍ଷଣେ ଚାହିଁ କ୍ଷଣେ କ୍ଷଣେ

କର ଟେକି କୁଚ ଦେଖାଇବା ।୭।

ଏହି ମାନ ମନେ ପଡ଼ି ତନୁ ଯାଏ ସଢ଼ି

ମାରଜଳେ ବୁଡ଼ିଯାଇ ଜ୍ଞାନ

ବୋଲେ ରାଧିକା ରାଧିକା ମୋ ପ୍ରାଣୁ ଅଧିକା

ତୁ ମୋର ଜୀବନ ଗଣ୍ଠିଧନ ।୮।

ତୋତେ ସତେ ମୁଁ ପାଇବି ଗଣନା ହୋଇବି

କିଣା ପରି ପରିଚାରୀ ଜନେ

ରତି ଶାସ୍ତ୍ର ପଢ଼ାଇବି ପ୍ରୀତି ବଢ଼ାଇବି

ସ୍ନେହ ବଢ଼ାଇବି ଦିନେ ଦିନେ ।୯।

ଦିବା ନିଶି ଅନୁସରି ଶିରିଷାଙ୍ଗୀ ଗୋରୀ

ଗିରିଶ ପରକୁ ନ ଡରିବି

ଆନ ବିଷୟ ମାନସେ ନ ଘେନି ମାନସେ

ରସେ ଭାସେ ବ୍ରଜନାଥ କବି ।୧୦।

Image

 

ଗୀତ

ରାଗ-ଚୋଖୀ

 

ବୁଲନ୍ତି ସେ ପ୍ରତି କୁଞ୍ଜ କାହିଁ ଅବା ଥିବ କଞ୍ଜ

ସୁବାସିନୀ ଖେଳ ଖଞ୍ଜରୀଟ ଲୋଚନା

ବୋଲନ୍ତିରେ ଆସ ଆସ ରସବତୀ ପ୍ରିତିରାସ-

ରଙ୍ଗିନୀ ସଙ୍ଗିନୀ ପିକବର ବଚନା

ଝିଙ୍କାରୀର ଝଙ୍କାର ଶୁଣି

ଝୁଣ୍ଟିଆ ଭ୍ରମରେ ଶ୍ରୁତି ଡେରନ୍ତି ପୁଣି ।୧।

 

ଯମୁନା ଚାରୁ ତରଙ୍ଗ ମଣନ୍ତି ଭ୍ରୁଲତା ରଙ୍ଗ

ସାରସ ସୁବାସ ସେହି କଳିକା ସ୍ତନ

ମୃଣାଳ ଶ୍ରିଭୁଜପରା ବଳେ ମନ ହୋଏ ତୋରା

ଅଙ୍ଗେ ପିନ୍ଧି ଆସୁଛି କି ନୀଳ ବସନ

ଏପରି କିଶୋରୀ ଆବେଶେ

ନ ସହି ଚନ୍ଦ୍ରମା କରେ ବୋଲନ୍ତି ରୋଷେ ।୨।

Image

 

ତୃତୀୟ ପୋଈ

 

ତୁ ତ ନୋହୁ ନିଶାକର ଅଟୁ ଦିନକର

ଯେଣୁ ଦୀନ କରୁଅଛୁ ମୋତେ

ମିନ୍ତ୍ରୋଦୟେ ହୋଏ ମ୍ଲାନ କୁମୁଦେ ପ୍ରସନ୍ନ

କଳଙ୍କୀ ହୋଇଲୁ ସର୍ବ ମତେ ।୧।

ଘନ ପ୍ରୀତିରେ ପ୍ରକାଶ ନୋହୁ ମିତ୍ର ନାଶ

ଏବେ କରୁ ମୋତେ ଜାଣି ବିଧୁ

ଏହି ହିଂସୁ କରିଦିନ ଗୋଟିଏ ସଂମ୍ପୂର୍ଣ୍ଣ

ହୋଇ ନରହୁ ତାମସୀ ବନ୍ଧୁ ।୨।

ତନୁ ହୀନ ଯେଣୁ ନାମ ନିଶ୍ଚେ ଅଟେ ତମ

କଳାକରୁଁ ଗ୍ରାସୁଅଛି ମୋତେ

ସୁରତରଙ୍ଗିଣୀ ରସେ ମଜ୍ଜିଲେ ବିଶେଷେ

ଦ୍ୱିଜବରେ ଦାନ ଦେବି ତୋତେ ।୩।

କୁଚ ଶମ୍ଭୂ ଶିରେ ପାଣି ପଦ୍ମ ଦେବି ପୁଣି

କେତେ ସମ୍ମାର୍ଜନା କରି କରେ

ଦ୍ୱିଜମାନଙ୍କୁ ପୀୟୁଷ ଗ୍ରାସ ଦେବି ବାସ

ଦେଇ ମୁଁ ରହିବି ଦିଗମ୍ବରେ ।୪।

ବାଳା ଯେତେବେଳେ ଆସି ଲୀଳା ଲୋଳେ ହସି

ଗଳାରେ ଶ୍ରୀଭୁଜ ମାଳା ଦେବ

କୋଟି କୁବେର ସମ୍ପତ୍ତି ସଞ୍ଚି ଶଚୀପତି

ପଦ ପାଦ ତଳେ ଲୋଟାଇବ ।୫।

ଶ୍ୟାମଘନେ ଶଶୀ ପରି ପରିରମ୍ଭେ ଗୋରୀ

ପଶି ନ ଦିଶିବ ମୋ ଅଙ୍ଗରେ

ପଦ୍ମେ ଭ୍ରମର ରହିଲା ପରାଏ ଛଇଳା

ଅଙ୍ଗେ ମୁଁ ରହିବି ଥରେ ଥରେ ।୬।

ପୁଣି ରମଣୀ ରତନ କହି ଚାଟୁମାନ

ମନକୁ ମୋହିବ ଯେତେବେଳେ

ଚଉଷଠୀ ବନ୍ଧେ ରତି ରସରେ ଯୁବତୀ-

ବର ବସାଇବି ତେତେବେଳେ ।୭।

କାମରସେ ରସରାଣି ସତେ ଏହି ନିଶି

ବିଧୁ ବିଲୋକନେ ଉଚ୍ଛୁଳିବ

ହେବ ସୁତନୁ ସୁରସେ ତରଙ୍ଗ ବିଶେଷେ

କୁଳ ମଯ୍ୟାଦାହିଁ ନରହିବ ।୮।

ନେତ୍ର ଛାଡ଼ିବ ନିମିଷ ଦେଖିବ ସେ ରସ

ବନ୍ଧୁ ବନ୍ଧୁ ଇନ୍ଦୁ ମୁଖ ଶୋଭା

କର୍ଣ୍ଣଯିବ ମୁକ୍ତ ହୋଇ ଆଜ ପିଇ ପିଇ

ସ୍ନେହବାଣୀ ସୁଧା କେତେ ଅବା ।୯।

ରାଧା ସୁଧାନିଧିମୁଁ ହିଁ ବନ୍ଧୁ ଧନ ସେହି

ଏହି କାମ୍ୟମାନ ମୁଖେ ଘୋଷି

ବୋଲେ କବି ବଜ୍ରନାଥ ସେହି ମନ ମଥ-

ଶରେ ସରୋଷେ ବଚନ ଭାଷି ।୧୦।

Image

 

ଗୀତ

ରାଗ-ଚୋଖୀ

 

ବୋଲନ୍ତିରେ ରତି ପତି ଆସୁ ମୋର ମୋତିଦନ୍ତୀ

ତେବେସିନା ତୋର ମୋର କରିବା ରଣ

ତା ଶ୍ରୀମୁଖ ବାସ ପାଇ ରୋଲମ୍ୱ ଯେବେ ଉଡ଼ଇ

ଛିଡ଼ିଗଲେ ଟଙ୍କାରିବୁ ନାହିଁ କି ଗୁଣ ?

କୁଚଶମ୍ଭୁ ସମ୍ମୁଖ ଦେଖି

ଦେଖାଇବୁ ଏଡ଼େ ରଙ୍ଗ କରି ଯେ ଆଖି ।୧।

ଚତ୍ରାକର କରି ଧନୁ ନ କମ୍ପିବ ଯେବେ ଜାନୁ

ସେକାଳେ କିମନେ ଘେନୁ ଖୋଜିଥା ବାଟ

ନଯିବୁ ଏକା ପଳାଇ ଫୁଲବାଣ ମଉଳାଇ

ଫୁଲ୍ଲାରବିନ୍ଦ ବଦନା ହୋଉ ମୋ ଭେଟ।

କୋକିଳକୁ କହନ୍ତି ପୁଣି

ଯାହା ମାଗ ତାହା ଦେବି ନକହି ବାଣୀ ।୨।

Image

 

ଚତୁର୍ଥ ପୋଈ

 

ମୁଁ ଯେ ତୋହପରି ରଙ୍କ ନୁହଇରେ ପିକ

ଚନ୍ଦ୍ରମା ପରି ନୁହଇ ଚୋର

ଡାକି ଡାକି ମରୁଥିବି ବିଟପୀକି ସେବି

ଦିବସେଲୁଚିବିଗିରିପୁର ।୧।

ମୋର ଅଛି ଦିବ୍ୟଧନ ଅମୂଲ୍ୟ ରତନ

କୋଡ଼ିଏ ଥାନ ସୁବ୍ରହ୍ମହୀରା

ଚଳେ ପ୍ରବାଳ ବୋଇତ ତହିଁ ଆତଜାତ

ଯଉଁ ମୋତି ଯଉଁ ରୂପେ ତୋରା ।୨।

ଅକଥନ ଧନ ଥୋଇ ରଖିଅଛି ଦୁଇ

ଗରିଆସଙ୍ଖାଳି କରି ମୁହିଁ

ହେଲେ ଅତନୁ କାନ୍ତାର କାଳ ତେବେ ତାର

ତହିଁ ହାଥ ନଗାଇବି ନେଇ ।୩।

ଚାରୁ ସୁବର୍ଣ୍ଣ ସୁବର୍ଣ୍ଣ ଅଛି ମୋର ପୂର୍ଣ୍ଣ

ଇନ୍ଦ୍ରପଦ କି ବିଚିତ୍ର ମୋତେ

ବନ୍ଧୁ ଗତିକି ସେବିତ ଅଛି ଐରାବତ

ରମ୍ଭା ସମ୍ଭାବନା ଉରୁଗତେ ।୪।

ଆଉ ଚିତ୍ର କଥାପଣେ ପୁଣ ନେତ୍ରକୋଣେ

ଚାରିବର୍ଗ ପୁରିଛନ୍ତି ରହି

ହାସ ରତନ ବୃଷ୍ଟିରେ ଆଉ ଏ ସୃଷ୍ଚି ରେ

କିଣା ତାର କେବା ହୋଇନାହିଁ ।୫।

ଯାରମୁଖ ସମହେବ ବୋଲି ବିଧୁ ଶିବ

ଶିବା ସେବା ଦିବାନିଶି କରେ

ଭାଗ୍ୟବନ୍ତ ସେ ଅରୁଣ ଯାହାଟି ତରୁଣ

କାଳେ ସମହେଲା ଅଧରରେ ।୬।

ପୁଣି ଭ୍ରମର ଝଙ୍କାର ଶୁଣି ଚମତ୍କାର

ଶୀତ୍କାରରେ ଈଷି ଈଷି ଭାଷି

ଶୁଭୁଅଛି ତ ଝୁଣ୍ଟିଆ ବୋଳି ହେଲେ ଠିଆ

ପ୍ରତିଦିଶେ ଦିଶେ ଦରହାସୀ ।୭।

ତାକୁ ଆଣିବି ପାଛୋଟି ସେ ମୋହର କୋଟି

କୋଟି ଶତ କୋଟିଧର ମୁଖ

ନେତ୍ର ହୋଉ ମୋ ଆନନ୍ଦ ଚାହିଁ ଅରବିନ୍ଦ

ସୁନ୍ଦରୀ ସୁନ୍ଦର ଚନ୍ଦ୍ରମୁଖ ।୮।

ଏହିପରା ମୋ ପରାଣ ଭ୍ରମେ ବିଚରିଣ

ଆଶ୍ଲେଷ କରନ୍ତି ନଭଦେଶେ

ପୁଣି ମଦନ ମାଦକ ଲାଗିଅଛି ଏକ

ଚାରି ଶରେନାହଁ ଜ୍ଞାନ ଲେଶେ ।୯।

ଯେତେ ସଂସାରରେ ସୁଖ ମଣନ୍ତି ବିମୁଖ

ବିଷ ବିଷମ ବିଶିଖ ଘାତେ

ଏହିକାଳେ ବିହିବଶେ ମିଳେଦୂତୀପାଶେ

ବ୍ରଜନାଥ ବ୍ରଜନାଥ ଚିନ୍ତେ ।୧୦।

Image

 

ଗୀତ

ରାଗ–ଚୋଖୀ

 

କହନ୍ତି ଦୂତି ଗୋ ସଖୀ ରାଧା ମୋତେ କଲା ଦୁଃଖୀ

କଲା ସେ ଯେ କାହୁଁ ଶିଖି ମୋହ ମନ୍ତର

କଟାକ୍ଷ ତାହାର ବିଷ କରେ ମୋ ଅଙ୍ଗ ଅବଶ

ଆହା ସେ ଶେଶମ ଦେଶ ଧଉର୍ଯ୍ୟ ହର।

ତା ଭ୍ରୃଲତା ନର୍ତ୍ତନ ଭଙ୍ଗି

ଈଷିତରେ ଦେବ ଦେବ ଗୁମାନ ଭାଙ୍ଗି ।୧।

ଆଳୀମେଳେ ନୀରଘେନି ଯାଉଥିଲା ପୀନସ୍ତନୀ

ଢାଳିଲା ନୟନ ମୁନ ମନ ମୋହିନୀ

ଏତେକେ ଯାଇଛି ମାରି କହୁଛି ତୋ କରଧରି

କେହି ତାକୁ ଆଣି ପାରିବ କି ସଜନୀ

କିଣି ରଖନ୍ତୁ ଏପରାଣ

ଯାଅ ଯାଅ ତାକୁ ଆଣ ତୋତେ ମୋରାଣ ।୨।

Image

 

ପଞ୍ଚମ ପୋଈ

 

ଦୂତୀ ଶୁଣି କୃଷ୍ଣନତି ଚଳିଲା ଝଟତି

ମିଳିଲା ଯୁବତୀମଣି ପାଶେ

ଅନୁଗତ ହୋଇ ଆଗେ ବସିଣ ସରାଗେ

କହଇ ବଚନ ମନ୍ଦ ହାସେ ।୧।

ଆରେ ପରାଣ ମିତଣି କହିବି ଯା ପୁଣି

କରିବୁ ସେ ବାଣୀ ଯେବେ ଚିତ୍ତେ

ନିକି ନରଖୁ ମୋ ଭାଷା ହୋଏ ଅଭରସା

କହ ତ ଫରସା କରି ମୋତେ ।୨।

ତୋତେ ଛାଇ ପରା କରି ଥାଇ ଅନୁସରି

ପାଇନାହିଁ ଦିନେ କିଛି ମାଗି,

ଯେହୁ ଅଟଇ ଯାହାର ସେ ପରା ତାହାର

ସଙ୍ଗେ ହୋଏ ଦୁଃଖ ସୁଖ ଭାରୀ ।୩।

ଚାରୁ ପୂର୍ଣ୍ଣ ଚନ୍ଦ୍ରମୁହୀଁ ବିହି ଅଛି ବିହି

ତିନିପୁର ମୋହିବାକୁ ତୋତେ

ଭଙ୍ଗି ତରଙ୍ଗି ଅପାଙ୍ଗି ହରଯୋଗ ଭଙ୍ଗି

ଆଉ ଲୋକ ଅଙ୍ଗ ଛାର କେତେ ।୪।

କାଲି ପରା ମୋ ପରାଣ କେ କେ ସଖୀଗଣ

ସଙ୍ଗେ ଥିଲେ ଆଣୁଥିଲୁ ନୀର,

ଘନ ସୁନ୍ଦର ସର୍ବାଙ୍ଗେ ସସ୍ମିତ ଅପାଙ୍ଗେ

ସୁଧାଢ଼ାଳି କଲୁ ଜର ଜର ।୫।

ତେତେବେଳୁଁ ମାର ଶରେ ଥିଲା ଅବସରେ

ଯୋଗରେ ପାଶରେ ହେଲି ଯାଇଁ

ନିଧି ହରାଇଲା ଦୁଃଖୀ ପରାଏ ସୁମୁଖି

ତୋରେ ମନ ଆଖି ଅଛି ଦେଇ ।୬।

ମୋତେ ତୋ ଭେଟ କହିଲା ହୋଇଲି ବୋଇଲା

କିଣା ତାର ଆରେ ରାମାବର

ତୁ ତ ସୁରସ ଉଦୟା ସରସ ହୃଦୟା

ହୋଇ ବାରେ ଦୟା ତାରେ କର ।୭।

ସେ ତ ରସିକ ରତନ ତୁ ତହୁଁ ଯତନ

ଦୁହେଁ ଦୁହିଙ୍କି ହୋଇଛ ତୋରା

ହେମ କମେ ନୀଳମଣି ମେଳହେଲେ ପୁଣି

କେଡ଼େ ସୁନ୍ଦର ଦିଶିବ ପରା       ।୮।

ଘନ କୋଳକୁ ବିଜୁଳି ଦିଶେ ସିନା ଝଳି

କମଳ କୋଳକୁ ଶୋଭା ଅଳି

ତା ତୋ କଳା ଗୋରା ଦେହ ମିଶିଲେ କିକହ

ଦିଶିବ ଉପମା ଭଳି ଭଳି ।୯।

ଦୁହେଁ ଦୁହିଙ୍କି ପରାଣ କରିବ ଯେ ପୁଣ

ଭେଟ ହେବା ଜାଣ ଅଛି ନଟ

ବୋଲେ ବ୍ରଜନାଥ ଶ୍ୟାମ ଶ୍ୟାମା ଅଭିରାମ

ପାଦପଦ୍ମେ ହୋଇ ମଧୁଲିଟ ।୧୦।

Image

 

ଗୀତ

ରାଗ–ଚୋଖୀ

 

ଶୁଣିଣ ଦୂତୀ ବଚନ ସକ୍ରୋଧ କରି ଲୋଚନ

କରେ ବାଣୀ ବିରଚନ ବୃଷଭାନୁଜା,

ତୋ ସଙ୍ଗରୁ ଏହି ଫଳ ଛଡ଼ାଇବୁ ବେନି କୁଳ

କୁଳଟା କରିବୁ ଗୋଳ କରିଛୁ ମକ୍କା

କୃଷ୍ଣେ ଯେହ୍ନେ ହେଲା ସୁହାଗ

ତୁତ କାହିଁ ପାଇଁ ଦେଉ ନାହୁଁ କିଅଙ୍ଗ ।୧।

କରେ ଧରି ଲୋଡ଼ୁ ଚାନ୍ଦ ପବନକୁ ପାତୁ ଫାନ୍ଦ

ଚନ୍ଦନେ ରସୁଣ ଗନ୍ଧ ମିଶାଉ ନେଇ

ନାହିଁ ତୋ ବଦନେ ଲଜ୍ଜା ପୁଣ ପୁଣ ତୁ ଭଣୁ ଯା

ସେ ପରା ମୋର ଭଣଜା ମୁଁ ତାର ମାଇଁ

କର୍ପୂରରେ ଲୁଣ ମିଶାଇ

ସୀତା ପିତ୍ତା ସଂଯୋଗରେ କି ସ୍ୱାଦ ପାଇ ।୨।

Image

 

ଷଷ୍ଠପୋଈ

 

ଏତେବୋଲି ଚଳି ଉଠି ଗଲା ବିମ୍ବଓଷ୍ଠୀ

ଦୂତିକାକୁ ପିଠି କରି ରୋଷେ

ଶିର ଛିଡ଼ିଗଲା ପରି ମନେ ଚିନ୍ତା କରି

ଦୂତୀ ହେଲା ମରିଗଲା ଆସେ ।୧।

କଷ୍ଟେ କଷ୍ଟେ ପରବେଶ ଦାମୋଦର ପାଶ

ନିକୁଞ୍ଜ ମନ୍ଦିରେ ତତପରେ

ମୁଖ ଯାଇଅଛି ଶୁଖି ଥନଥନଆଖି

ପକାଇ ଶ୍ୱାସ ବସିଲା ଧୀରେ ।୨।

ଚାହୁଁ ବିରସ ତାହାରି ବୋଲନ୍ତି ମୋହରି

ଧନ ଭେଣ୍ଡି ହେଲା କିରେ କହ

କେଡ଼େ ଆଶା କରିଥିଲି ହେମ ହେବ ବୋଲି

ବେଳକୁ ଫଳିଲା ପରା ଲୋହ ।୩।

ବିନା ଧନେ ମୋତେ କିଣା ନକଲା ଅରୁଣା

ଧରିତ କରୁଣା କଲା ଉଣା

କରି କଣ୍ଠ କଣ୍ଠି ମାଳ ବଞ୍ଚନ୍ତି ଏକାଳ

କନ୍ଧେ ବହିଥାନ୍ତି କରି ବୀଣା ।୪।

ପଦେ ଲେଖନ୍ତି ଅଳତା ସେବା କୁଶଳତା

ଦେଖି ଆମୋଦନ୍ତା ବଳେ ଚିତ୍ତ

ଚାହିଁସ୍ତନ ପନ୍ତ୍ରାବଳୀ ତା ମନ ନ ଢ଼ଳି

ଯାଆନ୍ତା କି ବଳି କଦାଚିତ ।୫।

ଜଗିଥାନ୍ତି ଅବସର ରଜନୀ ବାସର

କରି ଅପସର ଆଉଜାଈ

ବିଟପରି ନାନା ହାସେ କେବଳ ଆହା ସେ

ଭେଟକରି ଦେଲୁ ନାହିଁ ତୁହି ।୬।

ଦୂତୀ ବୋଲଇ ପାଷାଣ ଭାସେ କି ରସାଣ-

ବଶେ କି ପିତ୍ତଳ ହୋଏ ସୁନା

କଲେ ଉପାୟ ଅନେକ ପିକପରି କାକ

ଶୁକ ପରି ବକ ପଢଇ ନା ।୭।

ଯେତେ ଘେନାଇ କହିଛି ବିନୟ ହୋଇଛି

ଫଳ ଯା ପାଇଛି ଅଛି ଜାଣି

ଯଥା ନଶୁଣଇ ଫଣି ଫୁଙ୍କିଲେ ଗୋଷାଣି

ପଦ ପଢ଼ି ପଢ଼ି ପୁଣି ପୁଣି ।୮।

ଥିଲେ ଉପାୟ ବିଚାରି କରି ଏକ ଚାରି

ଶରେ ପରିଚାରୀ ପରି ହେଉ

ପଢ଼ ଉଚ୍ଚାଟ ମନ୍ତରେ ଆସେ ଯେମନ୍ତରେ

କିମ୍ପା ନିଶ୍ଚିନ୍ତରେ ବସଆଉ ।୯।

ଶୁଣି ମାନସ ମୋହନ ଧଇଲେ ମୋହନ-

ମୁରଲୀ ବହନ କରଯୁଗେ

ବୋଲେ ବ୍ରଜନାଥ ନେଇ ଅଧରେ ଲଗାଇ

ବସିଲେ ବଜାଇ ଅନୁରାଗେ ।୧୦।

Image

 

ଗୀତ

ରାଗଚୋଖୀ

 

କରି କାମୋଦ ରାଗିଣୀ କାମାଦି ଅନୁରାଗିଣୀ

ଆଳୀ ସଙ୍ଗେ ରଙ୍ଗେ ପୁଣି ବାଇଲେ ଗୀତ

ଶୃଙ୍ଗାର ରସରେ ପୁରି ଉଠିଲାକିଗୋପପୁରୀ

କର୍ଣ୍ଣରେ କି ହେଲା ପରି-ପୂର୍ଣ୍ଣ ଅମୃତ ।

ଯତିମତି ଚଞ୍ଚଳ ଅତି

କେତେ ଅବା ଛାର ଯୁବାଯୁବତୀ ଧୃତି ।୧।

ସୁଧା ସମାନ ମଧୁରେ ରାଧା ରାଧା ମୋବନ୍ଧୁରେ

ଡାକିଲାପରିସଧୀରେମୋହନବାଇ

ପଡ଼ନ୍ତେ ସୁନ୍ଦରୀ କର୍ଣ୍ଣେ ପୂର୍ଣ୍ଣେନ୍ଦୁମୁଖୀ କିତୁର୍ଣ୍ଣେ

କାମ ଅର୍ଣ୍ଣବରେ ନେଇ ଦେଲା ପକାଇ

ବୁଡ଼ି ଯାଉ ଯାଉ ସୁକେଶୀ

ଶ୍ୟାମ ରୂପ ଭେଳାଧ୍ୟାନେ ଧରି ଆଶ୍ୱାସି ।୨।

Image

 

ସପ୍ତମ ପୋଈ

 

ବସିସୁନ୍ଦରୀବିରହେ ଚିନ୍ତାକରିରହେ

ଛାଡ଼ିସବଂଗବଂପରସଙ୍ଗ

ଚିତ୍ତେ କରଇ ଭାବନା ସତେ ହୋଇବନା

ଶ୍ୟାମଘନ ରୂପ ପରସଙ୍ଗ ।୧।

ଦୂତୀ କହିଲା ଘେନାଇ ତାକୁ ନଅନାଇ

ଚଳିଲା ନିଷ୍ଠୁର ଭାରତିରେ

ଏବେ ନଦେବା କଦନ ଦେଇ ତ ମଦନ

ସାରୁଛି ବେଭାର ଭାରତୀରେ ।୨।

ମୋତେ ରସିକ ରତନ କୋଳେ କି ଯତନ

କରି ଧରିଥାନ୍ତେ ଚନ୍ଦ୍ର କରେ

କରି ବସନ ଉଲାଗି କୁଚଶିବ ଲାଗି

କରନ୍ତେ ଚନ୍ଦନ ଚନ୍ଦ୍ର କରେ ।୩।

ଦେଇ ଶ୍ରିମୁଖେ ଚୁମ୍ବନ ବୋଲନ୍ତେ ଜୀବନ-

ଧନ ତୁ ମୋ ହୃଦ ପଦକରେ

ତୁମ୍ଭେ ମୋ ସ୍ତନ ଚନ୍ଦନ ହେ ନନ୍ଦନନ୍ଦନ

ବୋଲି ମୁଁ ଧରନ୍ତି ପଦ କରେ ।୪।

ମନସିଜରାଜମତେ ଭିଡ଼ୁଥାନ୍ତେ ମୋତେ

ଉରକୁ ଲଗାଇ ପୟୋଧରେ

କଳାଅଙ୍ଗେ ଗୋରାତନୁ ମାନନ୍ତା ଯତନୁ

ସ୍ଥକିତ ବିଜୁଳି ପୟୋଧରେ ।୫।

ପୁଣି ସୁରତିର ଶେଷେ କରନ୍ତେ ବିଶେଷେ

ଅଧର ସୁଧା ମୁଖରେ ପାନ

ବିପରୀତହିଁ କରନ୍ତେ ସେ ତାପ ହରନ୍ତେ

ପୋଛନ୍ତେ ପଣନ୍ତେ ମୋଲପନ ।୬।

ଝାସିଥିଲେ ତକାଶୀରେ ମଣ୍ଡନ୍ତେ ମୋ ଶିରେ

ଗଭାଗୁନ୍ଥି ଶୋଭା ସୁମନସେ

ଲେଖିଛି ତ ପଦ୍ମାସନ ହେବି ମୁଁ ନାଶନ

ପାପିଷ୍ଠ ପିଶୁନ ସୁମନ ସେ ।୭।

ଚିତ୍ତ ଚାତକ ମଜ୍ଜିବ ବିରହାଗ୍ନି ଯିବ

ସଚ୍ଚେଶ୍ୟାମଘନବରଷିବ

ସୁରନଦୀ ସୁରସରେ ପୂଜିବି ତୋଷରେ

କରି ଶିବ ଉମାବର ଶିବ ।୮।

ଯେବେ ଧନକୁ ପାଇବି ହୃଦରେ ଥୋଇବି

କ୍ଷଣେ ନ ତେଜିବି ଜୀବିତରେ

ଯାଉ ଲାଜ ବଡ଼ପଣ ପଛେ ମୁଁ ଆପଣ

ଏବେ ଦୂତୀଠାକୁ ଯିବିତରେ ।୯।

ଏବେ ବିଚାରି ଚିତ୍ତରେ ଚଳିଲେ ସତ୍ୱରେ

ହୋଇ ପୁରତରେ ପରବେଶ

ଦୁହେଁ ବସିଲେ ଲହରେ ଭାବ ସେନେହରେ

ବ୍ରଜନାଥ ମଧୂପର ବଶ ।୧୦।

Image

 

ଗୀତ

ରାଗ - ଚୋଖୀ

 

ବୋଇଲେ ଆରେ ପରାଣ ମାଇଲାଟି ରତି ପ୍ରାଣ

କର ଏଥୁଁ ପରିତ୍ରାଣ ଦୋଷ ନଧର

ଆସ ସେ ମନମୋହନ ପାଶକୁ ଯିବା ବହନ

ବିରହାନଳେ ଦହନ ନୋହୁ ଶରୀର

ଦଶ ଦିଶେ ଦିଶିଲେ ସେହି

ସହିନୋହେ ସ୍ମର ଶର ସନ୍ତାପ ସହି ।୧।

ସୁବେଶ କରଗୋ ତନୁ ହେଲା ଯେ ଆସି ଅତନୁ

କେଳି ଅନୁକୂଳ କ୍ଷଣ କ୍ଷଣଦା କହି ।

ଜୁଡ଼ା ଭାଙ୍ଗି ବେଣୀପାର କୁସୁମ ଖଞ୍ଜି ଅପାର

କୁଚେ ପନ୍ତ୍ରାବଳୀ ଗାର ଚନ୍ଦନ ରହି

କଳାଶାଢ଼ି ପିନ୍ଧହିଁ ଆଜ

ବଳାବାଜେଣୀ ନୂପର ଝୁଣ୍ଟିଆ ସାଜ ।୨।

Image

 

ଅଷ୍ଟମ ପୋଈ

 

ତନୁ ସାଜି ନାନା ବେଶେ ଚଳିଲେ ଆବେଶେ

ମିଳିଲେ ସେ ବୃନ୍ଦାବନେ ଯାଇ

ଆଗେ ହୋଇଅଛି ଦୂତୀ ଦେଖିଲେ ଶ୍ରୀପତି

ଚାହିଁଛନ୍ତି ଅପଲକ ହୋଇ ।୧।

ଧରି ଗଉରାଙ୍ଗୀ କର ନିଅ ଏତୁମ୍ଭର

ଧନବୋଲିଦୂତୀହେଲାହସି

ଚିର ଅନ୍ଧ ଚକ୍ଷୁଦାନ ପରାଏ ମୋହନ

ପାଣିଘେନିଘେନିଗଲେହସି ।୨।

ଦୂତୀ ରହିଲା ଅନ୍ତରେ କନ୍ଦର୍ପ କାତରେ

ଲାଜ ଭୟେ ଥରେ ବାଳା ଦେହି

ପାଶେ ବସାଇ ରସିକ ଧରିଣ ଚିବୁକ

ନାନା କଉତୁକ ଚାଟୁ କହି ।୩।

ମୋତେ କର କଳା ଶାଢ଼ୀ ଗୋରା ଦେହେ ଭିଡ଼ି

ମୁଁ କରଇ ତୋତେ ମଥାମଣି

ଆଜୁଁ ଶେଯ କର ଛାତି ମୁଁ କରଇ ମୋତି-

ମାଳା ଏ ଗଳାକୁ ବାଳାମଣି ।୪।

ତୁ ମୋ ପ୍ରଭୁଧନ ହୁଅ ସେବାରେ ଲଗାଇ

ବରତନ ଦିଅ ରତି ମାତ୍ର

ନଖ ମଜା ଯେ ଅଳତା ଦେବା କୁଶଳତା

ଯାଚିଦେବୁ ଧନ ବୁଝି ପାତ୍ର।୫।

ଦେବି ଅଲକା କତୁରି ଭ୍ରମରି ଚାତୁରୀ

ଦର୍ପଣେ ଦେଖିବୁ ପ୍ରାଣମଣି

ନାନା ଭାଙ୍ଗେ ପାନ ଭାଙ୍ଗି ନବତନ ଅଙ୍ଗୀ

ଭୁଞ୍ଜାଇବି ଇଙ୍ଗିତରୁ ଜାଣି ।୬।

ଦେଲେ ନିର୍ମାଣି ବେଣୀକି ମୋ ବିନା ଏଣିକି

ବାନ୍ଧିବୁ ପୁଣି କି କାହା କରେ

ଖଞ୍ଜିଦେବି ଝୁମ୍ପା ଝରା ପୁଞ୍ଜ ପୁଞ୍ଜ ହୀରା

ଝଲ୍ଲକ ଝଲ୍ଲକା ଅଳି କରେ ।୭।

ଚିତା ଦେଖିବୁ ତ ଗୋରି ମୀନାକାର କରି

ଦେବି ରେଖ ଧରି ମୃଗମଦ

ଚନ୍ଦ୍ରମୁଖକୁ ଉଦ୍ଧରି ଧରିବୁ ମୁନ୍ଦରି

ଚନ୍ଦନକୋରାତ ପରମାଦ ।୮।

ଘଷୁଥିବି ଘନସାର ମିଶାଇ ଅଗର

ଘନସ୍ତନେ ତୋର ଘନକେଶି

ଶାଢ଼ୀ ଧଡ଼ିରେ ଅତର ଉଞ୍ଚି ସରୁତର

ଭାଙ୍ଗିବି ମୁ୍ଁ ତା ପହରେ ବସି ।୯।

ଚାରୁ ଉଲଟ ରମ୍ଭୋରୁ ଆଲଟ ମୋ କରୁଁ

କ୍ଷଣେ ନ ଛାଡ଼ିବିଗ୍ରୀଷମରେ

ବୋଲେ ବ୍ରଜନାଥ କବି ଛାଇପରି ସେବି

ତୋତେ ରହିଥିବି ନିରନ୍ତରେ ।୧୦।

Image

 

ଗୀତ

ରାଗ-ଚୋଖୀ

 

ସୁନ୍ଦର କେନ୍ଦର ନୀବି- ବନ୍ଧତ ବନ୍ଧୁ ବାନ୍ଧିବି

ଉରଜ ଦେଷ ବୋଲିଣ ପିନ୍ଧାଏ କାଛି

ତେଲେଙ୍ଗି ଉଲଟ କୃଞ୍ଚ ଘେର ଫେର ଅତି ସଞ୍ଚ

ପିନ୍ଧାଇଲେ ଦେଖିବୁ ତ ନଜାଣୁ କିଛି

ଅନୁଗ୍ରହ କଲେ ତୁପୁଣ

ଦିନେ ଦିନେ ଭିନ୍ନେ ଭିନ୍ନେ ଦେଖିବୁ ଗୁଣ ।୧।

କେତେଜାତି ଫୁଲଗୁନ୍ଥା ଜାତିକି ଜାତି ସୀମନ୍ଥା

କେଶ ଚିରିବାର ପନ୍ଥା ଜାଣଇ ମୁହଁ

ଅଞ୍ଜନ ଲାଞ୍ଜି ପ୍ରକାର ଚାରୁ ରେଖ ଚମତ୍କାର

କାମ ନ ଜାଣିବ ମୋର ପରା ଏ ସହି

ବେଳୁଁ ବେଳ ବାଳା ତରଳେ

ଜାଣି ସୁଜାଣ ରସିକ ଧଇଲେ କୋଳେ ।୨।

Image

 

ନବମ ପୋଈ

 

ଶ୍ୟାମ କୋଳେ ହେମ ଗୋରୀ ଦିଶେ କି ଚାତୁରୀ

ତା ସମ ସୁଷମା ନ ଦିଶିଲା

ମରକତ ପତ୍ରେ କାମ ରମ୍ୟ ହେବ କମ

ପ୍ରେମରେ କିବା କାନ୍ତାକୁ ଦେଲା ।୧।

ଚାରୁ ତମାଳ ଲତାକି ଫୁଟିଲା କେତକୀ

ଏଉତପାତକିଫଳଦେବ

ଶ୍ୟାମ ଘନେ ଚନ୍ଦ୍ରୋଦୟ ହୋଇଲା ଅଜୟ

ଅତନୁ ଗଡ଼ ତ ମାରଯିବ ।୨।

ନେତ୍ର ତୁରଙ୍ଗ ତରଳ ହେଲେ କି ପ୍ରବଳ

ସ୍ନେହ ସିପାହୀ ବଳରୁଁ କରି

ଫୁଲି ଉଠୁଛି ଜଘନ ହାଥୀ ଘନ ଘନ

ସୁମନା ସମର ଅନୁସରି ।୩।

ସର୍ବ ଅଙ୍ଗୁଳି ପାଦାତି ନଖକୁନ୍ତ ଘେତି

ହୃଦୟ ସ୍ଥାନ ଖୋଜିବା ବେଳେ

ହେବ ବାଳା ରଥଗତି ଘେନି ମନୋରଥୀ

ନିତମ୍ବଚନ୍ତ୍ର ଚଳିବା ବେଳେ ।୪।

ନାଶି ଅତନୁ ଅନ୍ଧାର ଉଚ୍ଚ ପୟୋଧର

ଧରତିରେ ବିଧୁକର ତୋରା

ସୁଖୀ ମାନସ ଚକୋର ହେଲେ ମନୋହର

କଣ୍ଠ ଚୋର ବାହୁପାଶେ ଧରା ।୫।

ବାସ ଅନ୍ତରେ ସେକର କଟୁଆଳବର

ଖୋଜି ବୁଲୁଛନ୍ତି ଅଙ୍ଗ ଦେଶେ

କର୍ଣ୍ଣ ମାର୍ଗକୁ ବାହାରି ରସନା ପାହାରି

ଚଳେ ଝୁଣ୍ଟିଆ ବାଜେଣୀ ଘୋଷେ ।୬।

ମୁଖସିନ୍ଧୁ ଉଛୁଳିଲା ଧଉର୍ଯ୍ୟ ଟଳିଲା

ଏଣୁ ବିରଚିତ କଲେ ବନ୍ଧ

ଇନ୍ଦ୍ରପଦ ନ ଦିଶିଲା ଆଶାରାତି ହେଲା

କାମତମରେ ହେବାରୁ ଅନ୍ଧ ।୭।

ଓଷ୍ଠପଲ୍ଲ ବବିମ୍ବରେ ବସି ଦଂଶିବାରେ

ଦ୍ୱିଜମାନେ କ୍ଷତକଲେ ବେଗେ

ପାନବୋଳ ଛଳେ ବାଳା ଗଣ୍ଡରକ୍ତ ହେଲା

ବଲ୍ଲଭ ଅଧର ଅଣା ଯୋଗେ ।୮।

ମୁଖକମଳେ ଭ୍ରମରୀ ମିଶିଗଲା ପରି

ପଡ଼ିଲା ପନ୍ତ୍ରାଳି ପରିଣତ

ଗଲା ଭାସି ସ୍ୱେଦବାରି ରାଶିରେ ମକରୀ

ଚନ୍ଦନ ଇନ୍ଦୁହିଁ ତହିଁ ଅସ୍ତ ।୯।

ଚଉଷଠି ବନ୍ଧୁ ବଳି କଲେ ରସକେଳି

ସେ ସୁଖ ଜାଣନ୍ତି ଦୁହେଁ ସେହି

ବୋଲେ ବ୍ରଜନାଥ ଯାର ମଦନ କୁମାର

ଲୀଳା କି ତାଙ୍କର ହୋଏ କହି ।୧୦।

Image

 

ଗୀତ

ରାଗ-ଚୋଖୀ

 

ସୁରସେ ସନ୍ତୋଷ ହୋଇ ବାଳାକୁ କୋଳେ ବସାଇ

ବୋଲନ୍ତି ଆହା କି ଭାବ ଦେଲୁଛଇଳି

ଦରଶନେ ସହସ୍ରାକ୍ଷ ଚୁମ୍ବନେ ଚତୁରମୁଖ

ଆଲିଙ୍ଗନେ ବିରୁପାକ୍ଷ ପଦ ପାଇଲି

ଓଷ୍ଠପାନେ ଶେଶ ସମାନ

ସୁରତିରେ ମୁକ୍ତ ହେଲା ଏ ଅପଘନ ।୧।

ତୋପରା କରିବୁ ଯେବେ ସରୂପ ମୋ ହେବ ତେବେ

ଏଣୁ ବିପରୀତ ଏବେ କର ସୁକେଶି

ବସଇଁ ବଇକୁଣ୍ଠରେ ନକର ଆଉ ମଠ ରେ

ବୋଲି ଭୂଜେ ଭୂଜ ଭିଡ଼ିଧଇଲେ ଆସି

ବାଳା କାମ କେଳି କୁଶଳା

ସରଗେ ଖେଳାଇ ଡୋଳା ଆଚରେ ଲିଳା ।୨।

Image

 

ଦଶମ ପୋଇ

 

ବନ୍ଧୁ ବନ୍ଧ ଯୋଗେ ବସି ମନ୍ଦ ମନ୍ଦ ହସି

ବାରେ ଚାହେଁ ନେତ୍ର ଢ଼ାଳି ଢ଼ାଳି

ପ୍ରେମ ଲାଜକୁ ମିଶାଇ ହୋଏ ଅଳସାଇ

ଅଳପ ନିତମ୍ବ ଚାଳି ଚାଳି ।୧।

କର୍ଣ୍ଣେ ତାଟଙ୍କ ଯେ ଫେରି ପଡ଼େ କି ବିଚାରି

କରଇ ଯା ଦର ଉହୁଁ ଉହୁଁ

ବାଣୀ ଜାଣି ବୀଣାବାଣୀ ନିରସରେ ଗଣି

କିରସ କୋକିଳ କୁହୁ କୁହୁ ।୨।

ଗଣ୍ଡେ ଅଧର ବସାଇ ଚିତ୍ତ ଉଲୁସାଇ

ଦେଉଥାଇଚୁମ୍ବଗଣିଗଣି

ତାର ତର ନାଶା ମଣି ନାଚୁଥା ଇମଣି

କିଙ୍କିଣି ବାଦନ କିଣି କିଣି ।୩।

କାମେ ଉଠୁଥାଇ ଫୁଲି କାମ ରସବଲ୍ଲି

ଈଷି ଈଷି ଭାଷି ଝୁଲି ଝୁଲି

ରଙ୍ଗ ତରଙ୍ଗ ନୟନ କାନ୍ତ ଅଙ୍ଗେ ଘେନ

ଘନେ ଯାଉଁ ଯାଉଁ ବୁଲି ବୁଲି ।୪।

ତୀକ୍ଷନଖ ମୁନପାଇ କମ୍ପମାନ ହୋଇ

ଚମକି ଉଠଇ ପୁଣି ପୁଣି

ଋଣପ୍ରାଏଚୁମ୍ବଧନ ଶୁଝଇବହନ

ନୁହଇନବତରୁଣୀଋଣୀ ।୫।

ଛିଡ଼ି ମନୋହରହାର ସୁତ୍ରରୁ ବାହାର

ହୋଇ ପଡ଼ୁଥାଇ ଗୋଟି ଗୋଟି

ଲୁଟି କରିବାକୁ ତାହା ହୋଇଥାନ୍ତି ଠିଆ

ହୋଇକି ରୋମାଳି କୋଟି କୋଟି ।୬।

କୋମଳାଙ୍ଗୀ ଶ୍ରମବଶେ ଦିଶେକି ଅବଶେ

ଖରଶ୍ୱାସ ଆସେ ତର ତର

ଫୁଟିବାରୁ ଥରେ ଥରେ ଶୋଏ ଶ୍ୟାମ ପରେ

ଜ୍ୟୋତି ପୀନ ପୟୋଧରଧର ।୭।

ହାରି ସୁରତିରଙ୍ଗରେ ଦୁହିଙ୍କ ସଙ୍ଗରେ

ଛାଡ଼ିଗଲା ଫୁଲଧନୁ ଧନୁ

କ୍ଷତହେବାରୁବିଶେଷେ ଶ୍ରମ ସ୍ୱେଦବଶେ

ଜଳେ ସେକାଳେ ସୁତନୁ ତନୁ ।୮।

ଝୀନବାସେ ବଞ୍ଚିଦେଲେ ମୋହନ ଧଇଲେ

ହୃଦପରେ ଆଉଜାଇ ଯାଇ

ଦୁଇଜଣଙ୍କ ସେ ଛବି ଭାବି କି କହିବି

ବଚନ ତହିଁକି ନାହିଁ ନାହିଁ ।୯।

ଅଙ୍ଗଶ୍ରମ ଶାନ୍ତ କରି ଅନୁରୂ ପକରି

ବସିଲେ ଯିବେ ଜୀବେଶବେଶ

ବ୍ରଜନାଥ ଭୃଙ୍ଗପରି ପିଏ ତାଙ୍କ ଚାରି

ଚରଣ ପଙ୍କଜ ପ୍ରେମରସ ।୧୦।

Image

 

ଗୀତ

ରାଗ-ଚୋଖୀ

 

କଳ୍ପଲତା ପଲ୍ଲବିଲା ମନ୍ମଥରଥ ମଣ୍ଡିଲା

ବ୍ରହ୍ମଜାତି ହୀରାହେଲା ଶାଣ ସୁନ୍ଦର

ତଥାବେଶେ ରାମାବର ହେଲାରୁ ରୂଚିର ଚିର

ମାନସମୋହମନ୍ଦିର ମୂର୍ତ୍ତି ଯାହାର

ଶ୍ୟାମପାଶୁଁ ମାଗି ମେଲାଣି

ଚଳିଲା ପୁରକୁ ଦୂତୀ ସଙ୍ଗେ ତରୁଣୀ ।୧।

ଖଳପର ବୈନତେୟ ଅଟ ହେ ସାଧୁ ନିଚୟ

ମୋ ଠାରେ ହୁଅ ସଦୟ ଘେନ ବିନୟ

ସୁବର୍ଣ୍ଣ ଯେଣୁ ଘଟିତ ପଦକ ଅଟେ ଏଗୀତ

ଗୁଣ ଘେନି ତୁମ୍ଭେମାନେ ହୃଦେ ଲଗାଅ

ଏ ତ ବେଦି ଶିବସୁନ୍ଦର

ବ୍ରଜନାଥ ଶ୍ରମସାର୍ଥ କର ହେ ନର ।୨।

Image